शनिवार, नवंबर 16 2024 | 08:09:27 AM
Breaking News
Home / Choose Language / Odia / ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଭଗବାନ ବିର୍ସା ମୁଣ୍ଡାଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି

ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଭଗବାନ ବିର୍ସା ମୁଣ୍ଡାଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି

Follow us on:

ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀର ବାନ୍ସେରା ପାର୍କରେ ଭଗବାନ ବିର୍ସା ମୁଣ୍ଡାଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ, ଦିଲ୍ଲୀର ଲିୟୁଟନାଂଟ ଗଭର୍ଣର ଶ୍ରୀ ବିନୟ କୁମାର ସାକ୍ସେନା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହର୍ଷ ମାଲହୋତ୍ରା ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ୨୦୨୧ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ (ନଭେମ୍ବର ୧୫) କୁ ଜନଜାତୀୟ ଗୌରବ ଦିବସ (ଆଦିବାସୀ ଗୌରବ ଦିବସ) ଭାବରେ ପାଳନ କରାଯିବ । ଏହି ଦିନ ଭଗବାନ ବିର୍ସା ମୁଣ୍ଡା ଝାଡ଼ଖଣ୍ଡର ଏକ ଛୋଟ ଗାଁରେ ଜନ୍ମ ଗ୍ରହଣ କରିଥିଲେ। ଶ୍ରୀ ଶାହ କହିଛନ୍ତି ଯେ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆଗାମୀ ବର୍ଷ ଅର୍ଥାତ୍ ୧୫ ନଭେମ୍ବର, ୨୦୨୫ ପର୍ଯ୍ୟନ୍ତ ଆଦିବାସୀ ଗୌରବ ବର୍ଷ ଭାବେ ପାଳନ କରାଯିବ। ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ମୋଦୀ ସରକାର ସରାଇ କାଲେ ଖାଁ ଛକର ନାମ ପରିବର୍ତ୍ତନ କରି ଭଗବାନ ବିର୍ସା ମୁଣ୍ଡା ଛକ କରିବାକୁ ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ଭଗବାନ ବିର୍ସା ମୁଣ୍ଡା କେବଳ ତାଙ୍କ ମୂଳ ଆଦିବାସୀ ସଂସ୍କୃତିର ମୁକ୍ତିଦାତା ନୁହଁନ୍ତି, ବରଂ ତାଙ୍କର ୨୫ ବର୍ଷର ସ୍ଵଳ୍ପ ଜୀବନକାଳରେ ସେ ନିଜ ଜୀବନ କିପରି ବଞ୍ଚିବେ ଏବଂ ଆମ ଜୀବନରେ କ’ଣ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ରହିବା ଉଚିତ ତାହା ଦେଶର ଅନେକ ଲୋକଙ୍କୁ ବୁଝାଇଥିଲେ । ଭଗବାନ ବିର୍ସା ମୁଣ୍ଡା ନିଶ୍ଚିତ ଭାବେ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ମହାନ ନାୟକ ବୋଲି ସେ କହିଛନ୍ତି । ୧୮୭୫ ମସିହାରେ ଜନ୍ମଗ୍ରହଣ କରିଥିବା ଭଗବାନ ବିର୍ସା ମୁଣ୍ଡା ଅଳ୍ପ ବୟସରେ ମାଧ୍ୟମିକ ଶିକ୍ଷା ଗ୍ରହଣ ସମୟରେ ଧର୍ମ ପରିବର୍ତ୍ତନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଶ୍ରୀ ଶାହ କହିଥିଲେ ଯେ ଯେତେବେଳେ ସମଗ୍ର ଭାରତ ଏବଂ ବିଶ୍ୱର ଦୁଇ ତୃତୀୟାଂଶ ଇଂରେଜ ଶାସନ କରୁଥିଲେ, ସେତେବେଳେ ବିର୍ସା ମୁଣ୍ଡା ଧର୍ମ ପରିବର୍ତ୍ତନ ବିରୋଧରେ ଦୃଢ଼ତାର ସହ ଠିଆ ହେବାର ସାହସ ପ୍ରଦର୍ଶନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଏହି ସଂକଳ୍ପ ଏବଂ ସାହସିକତା ତାଙ୍କୁ ଏହି ଦେଶର ଜଣେ ନେତାରେ ପରିଣତ କରିଥିଲା । ରାଞ୍ଚିର ଜେଲରୁ ଇଂଲଣ୍ଡର ରାଣୀଙ୍କ ପର୍ଯ୍ୟନ୍ତ ଜାତୀୟ ନାୟକ ବିର୍ସା ମୁଣ୍ଡା ଜୀ ଦେଶବାସୀଙ୍କ ସ୍ୱର ପାଲଟିଛନ୍ତି ।

ଶ୍ରୀ ଅମିତ ଶାହ କହିଥିଲେ ଯେ ଭଗବାନ ବିର୍ସା ମୁଣ୍ଡା ଏହି ଧାରଣାକୁ ପୁନର୍ଜୀବିତ କରିଥିଲେ ଯେ ଜଳ, ଜଙ୍ଗଲ ଏବଂ ଜମି ଆଦିବାସୀ ପରିବେଶ, ଜୀବିକା ଏବଂ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସେସବୁ ଆଦିବାସୀମାନଙ୍କ ପାଇଁ ସବୁକିଛି । ବିର୍ସା ମୁଣ୍ଡା ଆଦିବାସୀ ସମାଜରେ ବିଭିନ୍ନ ସଚେତନତା ସୃଷ୍ଟି କରିଥିବା ସମ୍ପର୍କରେ ସେ କହିଥିଲେ । ସେ ମଦ୍ୟପାନ, ଜମିଦାରଙ୍କ ଶୋଷଣ ବ୍ୟବସ୍ଥା ଓ ବ୍ରିଟିଶ ରାଜକୁ ବିରୋଧ କରିଥିଲେ ବୋଲି ଶ୍ରୀ ଶାହ ଉଲ୍ଲେଖ କରିଥିଲେ । ଦେଶର ଆଦିବାସୀ ସମାଜର ସାମାଜିକ ସଂସ୍କାର, ସ୍ୱାଧୀନତା ସଂଗ୍ରାମ ଓ ଧର୍ମାନ୍ତର ବିରୋଧୀ ଆନ୍ଦୋଳନ ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ନିକଟରେ ସମଗ୍ର ଦେଶ କୃତଜ୍ଞ ରହିବ ବୋଲି ଶ୍ରୀ ଶାହ କହିଛନ୍ତି।

ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ଭଗବାନ ବିର୍ସା ମୁଣ୍ଡା, ଯାହାକୁ “ଧରତୀ ଆବା” (ପୃଥିବୀର ପିତା) ମଧ୍ୟ କୁହାଯାଏ, ତାଙ୍କ ଜୀବନକୁ ଦୁଇ ଭାଗରେ ବିଭକ୍ତ କରି ଦେଖାଯାଇପାରେ । ପ୍ରଥମ ଭାଗ ହେଉଛି ଆଦିବାସୀ ସଂସ୍କୃତିର ସୁରକ୍ଷା ଦିଗରେ ତାଙ୍କର ପ୍ରତିବଦ୍ଧତା ଏବଂ ଦ୍ୱିତୀୟ ଭାଗରେ ମାତୃଭୂମିର ସ୍ୱାଧୀନତା ଏବଂ ଏହାର ସୁରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେବାର ଉତ୍ସାହ । ମାତ୍ର ୨୫ ବର୍ଷ ବୟସରେ ଭଗବାନ ବିର୍ସା ମୁଣ୍ଡା ବ୍ରିଟିଶ ଶାସନ ବିରୋଧରେ ବିପ୍ଳବର ଜ୍ୟୋତି ପ୍ରଜ୍ୱଳନ କରି ଆଦିବାସୀଙ୍କ ଅବସ୍ଥା ପ୍ରତି କେବଳ ଦେଶ ନୁହେଁ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ସହ ନିଜ କାର୍ଯ୍ୟ ମାଧ୍ୟମରେ ଏପରି ଏକ କାହାଣୀ ଲେଖିଛନ୍ତି ଯେ ୧୫୦ ବର୍ଷ ପରେ ମଧ୍ୟ ଆଜି ସମଗ୍ର ଦେଶ ତାଙ୍କ ଆଗରେ ନତମସ୍ତକ ହେଉଛି।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ସାରା ଦେଶରେ ଇଂରେଜମାନଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ସ୍ୱାଧୀନତା ପରେ ଏହି ମହାନ ବୀରମାନଙ୍କୁ ମନେ ରଖାଯାଇନଥିଲା । ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୦ କୋଟି ଟଙ୍କା ବ୍ୟୟରେ ଦେଶର ୨୦ ଜଣ ଆଦିବାସୀ ମହାନାୟକଙ୍କ ସଂଗ୍ରହାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଦ୍ୱାରା ପିଲାମାନେ ଏହି ମହାନ ବୀରମାନଙ୍କ ଜୀବନ ସହିତ ପରିଚିତ ହୋଇପାରିବେ । ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ତିନୋଟି ସଂଗ୍ରହାଳୟ ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ରାଞ୍ଚିରେ ଭଗବାନ ବିର୍ସା ମୁଣ୍ଡା ସଂଗ୍ରହାଳୟ, ଜବଲପୁରରେ ଶଙ୍କର ଶାହ ଏବଂ ରଘୁନାଥ ଶାହ ସଂଗ୍ରହାଳୟ ଏବଂ ଛିନ୍ଦୱାଡାରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟକୁ ଉଦଘାଟନ କରିଛନ୍ତି । ଅବଶିଷ୍ଟ ସମସ୍ତ ସଂଗ୍ରହାଳୟ ୨୦୨୬ ସୁଦ୍ଧା ପ୍ରସ୍ତୁତ ହୋଇଯିବ।

ଶ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଆଦିବାସୀଙ୍କ ଗୌରବ ପାଇଁ ଅନେକ କାମ କରିଛନ୍ତି। ସ୍ୱାଧୀନତାର ୭୫ ବର୍ଷ ପରେ ପ୍ରଥମ ଥର ପାଇଁ ମୋଦୀ ସରକାର ଜଣେ ଆଦିବାସୀଙ୍କୁ ରାଷ୍ଟ୍ରପତି ହେବାର ସୁଯୋଗ ଦେଇଛନ୍ତି । ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏକ ଗରିବ ଆଦିବାସୀ ପରିବାରର ଝିଅ ଏବଂ ଆଜି ସେ ଦେଶର ପ୍ରଥମ ନାଗରିକ ପଦବୀରେ ଅଧିଷ୍ଠିତ ହୋଇଛନ୍ତି। ଶ୍ରୀ ଶାହ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ନକ୍ସଲବାଦକୁ ପ୍ରାୟ ନିପାତ କରିଛନ୍ତି, ଯାହା ଆଦିବାସୀ ଅଞ୍ଚଳରେ ବିକାଶକୁ ବାଧା ଦେଉଛି ଏବଂ ପିଲାମାନଙ୍କୁ ବିଭ୍ରାନ୍ତ କରୁଛି।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ଆଦିବାସୀଙ୍କ ବିକାଶ ପାଇଁ ବିରୋଧୀ ଦଳ ସରକାରଙ୍କ ପାଖରେ ମାତ୍ର ୨୮,୦୦୦ କୋଟି ଟଙ୍କାର ବଜେଟ୍ ଥିବା ବେଳେ ମୋଦୀ ସରକାର ୨୦୨୪-୨୫ ବର୍ଷର ବଜେଟରେ ଆଦିବାସୀଙ୍କ ବିକାଶ ପାଇଁ ୧,୩୩,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ୨୬,୪୨୮ଟି ଆଦିବାସୀ ଗ୍ରାମରେ ସମସ୍ତ ମୌଳିକ ସୁବିଧା ସମ୍ପୂର୍ଣ୍ଣ ଭାବେ ଯୋଗାଇ ଦିଆଯାଇଛି। ଡିଷ୍ଟ୍ରିକ୍ଟ ମିନେରାଲ୍ସ ଫାଉଣ୍ଡେସନ ସ୍କିମ୍ ରେ ଆଦିବାସୀ ଅଂଚଳରେ ୯୭ ହଜାର କୋଟି ଟଙ୍କା ବଣ୍ଟନ, ୭୦୮ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ, ପ୍ରଧାନମନ୍ତ୍ରୀ ପିଭିଟିଜି ଉନ୍ନୟନ ମିଶନ ଅଧୀନରେ ୧୫ ହଜାର କୋଟି ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଅଧୀନରେ ୨୪ ହଜାର କୋଟି ଟଙ୍କା ୬୩ ହଜାର ଗାଁର ସମ୍ପୂର୍ଣ୍ଣ ବିକାଶ ପାଇଁ ପ୍ରଦାନ କରାଯାଇଛି ।

मित्रों,
मातृभूमि समाचार का उद्देश्य मीडिया जगत का ऐसा उपकरण बनाना है, जिसके माध्यम से हम व्यवसायिक मीडिया जगत और पत्रकारिता के सिद्धांतों में समन्वय स्थापित कर सकें। इस उद्देश्य की पूर्ति के लिए हमें आपका सहयोग चाहिए है। कृपया इस हेतु हमें दान देकर सहयोग प्रदान करने की कृपा करें। हमें दान करने के लिए निम्न लिंक पर क्लिक करें -- Click Here


* 1 माह के लिए Rs 1000.00 / 1 वर्ष के लिए Rs 10,000.00

Contact us

Check Also

କିପରି ଅବହେଳିତରୁ ସଶକ୍ତ ହେଲା ଜନଜାତୀୟ ଭାରତ !

୨୦୧୪ ପୂର୍ବରୁ , ଭାରତର ଆଦିବାସୀ ସମ୍ପ୍ରଦାୟକୁ ଏକ କଠିନ ଯୁଦ୍ଧର ସାମନା କରିବାକୁ ପଡୁଥିଲା, ଯେଉଁଥିରେ ସେମାନଙ୍କ ସଂଘର୍ଷ ମୁଖ୍ୟତଃ ଦେଶ ପାଇଁ ଅଦୃଶ୍ୟ ଥିଲା । ଦଶନ୍ଧି ଧରି, ସେମାନେ ଅବହେଳିତ ହୋଇ ରହୁଥିଲେ, ଅଣଦେଖାର ଶିକାର ହୋଇଥିଲେ ଏବଂ ସୁସ୍ଥ, ସମ୍ମାନଜନକ ଜୀବନଯାପନ କରିବା ପାଇଁ ଆବଶ୍ୟକ ସମର୍ଥନ ବିନା ସେମାନଙ୍କୁ ଛାଡି ଦିଆଯାଇଥିଲା। ଅନେକ ଆଦିବାସୀ ଅଂଚଳରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଅର୍ଥନୈତିକ ସୁଯୋଗ ଭଳି ମୌଳିକ ସୁବିଧା ସର୍ବନିମ୍ନ ଥିଲା କିମ୍ବା ଅସ୍ତିତ୍ଵହୀନ ଥିଲା । କିନ୍ତୁ ଏଥିରେ ୨୦୧୪ ପରଠାରୁ ଏକ ପରିବର୍ତ୍ତନ ଘଟିଛି। ମୋଦୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କେବଳ ଆଦିବାସୀ ସମ୍ପ୍ରଦାୟର ଆବଶ୍ୟକତାକୁ ସ୍ୱୀକାର କରିନାହିଁ ବରଂ ଏହି ପ୍ରସଙ୍ଗଗୁଡ଼ିକୁ ତତ୍ପରତାର ସହ ପ୍ରାଥମିକତା ଦେଇଛି । ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ସମେତ ଅର୍ଥନୈତିକ ସଶକ୍ତୀକରଣ ପର୍ଯ୍ୟନ୍ତ, ଏହି ସମ୍ପ୍ରଦାୟଗୁଡ଼ିକ ଏବେ ଅନେକ ପିଢ଼ି ଧରି ଯେଉଁ ପ୍ରକାରର ସମର୍ଥନ ଏବଂ ପୁଞ୍ଜିନିବେଶର ଲାଭ ସେମାନେ ପାଇବା କଥା , ସେଥିରୁ ଦୂରେଇ ରହିଥିଲେ ତାହା ଜାଣୁଛନ୍ତି । ଉଦାହରଣ ସ୍ୱରୂପ ଶିକ୍ଷା କ୍ଷେତ୍ରକୁ ନିଆଯାଉ । ଏକଦା ଆଦିବାସୀ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବାର ଆଶା କମ୍ ଥିଲା । ୨୦୧୪ ପୂର୍ବରୁ ଥିବା କିଛି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (ଇଏମଆରଏସ) ବିରଳ ଏବଂ ଅଳ୍ପ ସମ୍ବଳ ବିଶିଷ୍ଟ ଥିଲା । ସେବେଠାରୁ ମୋଦୀ ସରକାର ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବାରୁ ଏହି ବିଦ୍ୟାଳୟ ଗୁଡ଼ିକର ଯଥେଷ୍ଟ ସମ୍ପ୍ରସାରଣ ହୋଇଛି । ଆଜି ୭୧୫ଟି ସ୍କୁଲ୍ ମଞ୍ଜୁର ହୋଇଥିବା ବେଳେ ୪୭୬ଟି କାର୍ଯ୍ୟକ୍ଷମ ହୋଇ ୧ ଲକ୍ଷ ୩୩ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସେବା ଯୋଗାଇ ଦିଆଯାଉଛି। ଏହି ବିଦ୍ୟାଳୟ ଗୁଡ଼ିକରେ ଆଧୁନିକ ସୁବିଧା, ଡିଜିଟାଲ ଶ୍ରେଣୀଗୃହ ଏବଂ କ୍ରୀଡ଼ା ଭିତ୍ତିଭୂମି ରହିଛି, ଯାହା ଆଦିବାସୀ ପିଲାମାନଙ୍କୁ ସେମାନଙ୍କ ସହରାଞ୍ଚଳ ପିଲାମାନଙ୍କ ସହ ସମାନ ଶିକ୍ଷା ପ୍ରଦାନ କରିବା ସୁନିଶ୍ଚିତ କରୁଛି। ୧୭,୦୦୦ କୋଟି ଟଙ୍କାର ଛାତ୍ରବୃତ୍ତି ୩ କୋଟିରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଅଧିକ ସଶକ୍ତ କରିଛି, ଯାହା ସେମାନଙ୍କୁ ଉଚ୍ଚଶିକ୍ଷା ଏବଂ ଉନ୍ନତ କ୍ୟାରିୟର ସୁଯୋଗ ପ୍ରଦାନ କରିଛି। ଏକଦା ଆଦିବାସୀ ଯୁବକମାନଙ୍କ ପାଇଁ ଯେଉଁ ରାସ୍ତା ବନ୍ଦ ହୋଇଯିବା ଭଳି ମନେ ହେଉଥିଲା, ତାହା ଏବେ ବ୍ୟାପକ ଭାବେ ଖୋଲା ରହିଛି ଏବଂ ସେମାନେ ଏକ ସମ୍ଭାବନାରେ ପରିପୂର୍ଣ୍ଣ ଭବିଷ୍ୟତରେ ପାଦ ଥାପିଛନ୍ତି। ସ୍ଵାସ୍ଥ୍ୟ ସେବା କ୍ଷେତ୍ରର କାହାଣୀ ଏହା ଠାରୁ କିଛି ଅଲଗା ନୁହେଁ । ୨୦୧୪ ପୂର୍ବରୁ ଆଦିବାସୀ ସଂପ୍ରଦାୟର ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୀମିତ ଥିଲା, ସରକାରୀ ସହାୟତା ଅତି ମନ୍ଥର ଥିଲା କିମ୍ବା ପହଂଚିବା ବାହାରେ ଥିଲା । କିନ୍ତୁ ସେବେଠାରୁ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଏବେ ଆଦିବାସୀ ଅଂଚଳର ଦୁର୍ଗମ କୋଣଅନୁକୋଣରେ ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ ପହଂଚି ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଯାଉଛି । ଏହାବ୍ୟତୀତ ଆଦିବାସୀ ଅଂଚଳରେ ୧.୫ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି, ପରିମଳ ବ୍ୟବସ୍ଥାରେ ଉନ୍ନତି ଘଟିଛି ଏବଂ ବ୍ୟାପୁଥିବା ରୋଗ ପରିମାଣ ହ୍ରାସ ପାଇଛି । ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରାଥମିକତା ଦିଆଯାଉଛି, ଯାହା ସେମାନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଛି । ସିକଲ୍ ସେଲ୍ ରକ୍ତହୀନତା ଦୂର କରିବା ପାଇଁ ଦେଶବ୍ୟାପୀ ପ୍ରୟାସ କରାଯାଉଛି – ଏହା ଏମିତି ଏକ ରୋଗ ଯାହା ଆଦିବାସୀ ସମ୍ପ୍ରଦାୟକୁ ଅସମାନ ଭାବରେ ପ୍ରଭାବିତ କରେ – ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସିକଲ୍ ସେଲ୍ ରକ୍ତହୀନତା ଦୂର କରିବା ପାଇଁ ଦେଶବ୍ୟାପୀ ପ୍ରୟାସ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଛି । ୨୦୨୩ରେ ଆରମ୍ଭ ହୋଇଥିବା ଜାତୀୟ ସିକଲ ସେଲ ରକ୍ତହୀନତା ଉତ୍ପାଟନ ଅଭିଯାନରେ ୨୦୪୭ ସୁଦ୍ଧା ଏହି ରୋଗକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ୪.୬ କୋଟିରୁ ଅଧିକ ଆଦିବାସୀ ବ୍ୟକ୍ତିଙ୍କ ଯାଂଚ ପରୀକ୍ଷଣ କରାଯାଇଛି ଏବଂ ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସା ଚାଲିଛି, ଯାହା କିଛି ବର୍ଷ ପୂର୍ବେ ଏକ ଦୂରସ୍ୱପ୍ନ ପରି ମନେ ହେଉଥିଲା । ଯାଂଚ, ପରାମର୍ଶ ଏବଂ ଯତ୍ନ ମାଧ୍ୟମରେ ୭ କୋଟି ଲୋକଙ୍କୁ ଏଥିରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯାହା ଆଦିବାସୀ ସମ୍ପ୍ରଦାୟକୁ ନୂତନ ଆଶା ପ୍ରଦାନ କରିଥାଏ । ଜଙ୍ଗଲ ଅଧିକାର ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବା ଦ୍ୱାରା ଆଦିବାସୀଙ୍କ ଜମି ଅଧିକାରକୁ ଏହା ମାନ୍ୟତା ଦେଇଛି ଓ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ୨୦୧୪ ପୂର୍ବରୁ ଆଦିବାସୀ ସଂପ୍ରଦାୟର ସେମାନଙ୍କ ଜମି ଉପରେ କମ୍ ନିୟନ୍ତ୍ରଣ ରହୁଥିଲା, ଯାହାଫଳରେ ସେମାନଙ୍କ ମନରେ ଜମି ଜବରଦଖଲ ଓ ବିସ୍ଥାପିତ ହେବାର ଭୟ ରହୁଥିଲା । ସେମାନଙ୍କ ଜମି ଉପରେ ଏହି ନିୟନ୍ତ୍ରଣର ଅଭାବ ଦାରିଦ୍ର୍ୟ ଏବଂ ସଂସ୍କୃତି ହରାଇବାର ଚକ୍ରକୁ ବଜାୟ ରଖିଥିଲା । କିନ୍ତୁ ମୋଦୀ ସରକାରଙ୍କ ଅମଳରେ ଏକ ଐତିହାସିକ ପରିବର୍ତ୍ତନ ଘଟିଛି। ଜଙ୍ଗଲ ଅଧିକାର ଆଇନକୁ ସକ୍ରିୟ ଭାବେ କାର୍ଯ୍ୟକାରୀ କରାଯାଇଛି, ଯାହାଫଳରେ ୧.୯ କୋଟି ଏକରରୁ ଅଧିକ ଅଞ୍ଚଳରେ ଆଦିବାସୀ ପରିବାରମାନଙ୍କୁ ୨୩ ଲକ୍ଷରୁ ଅଧିକ ଜମି ମାଲିକାନା ପ୍ରଦାନ କରାଯାଇଛି। ଏହି ଐତିହାସିକ ପଦକ୍ଷେପ ଆଦିବାସୀମାନଙ୍କୁ ସେମାନଙ୍କ ଜମି ଚାଷ କରିବା, ପାରମ୍ପରିକ ଜୀବିକା ଅଭ୍ୟାସ କରିବା ଏବଂ ବିସ୍ଥାପିତ ହେବାର ଭୟ ନ କରି ସେମାନଙ୍କ ପୈତୃକ ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ସଶକ୍ତ କରିଛି । ଜନଜାତୀୟ ଭାରତ ପାଇଁ ସଶକ୍ତୀକରଣର ଏକ ନୂତନ ଯୁଗରେ ଜମି କେବଳ ଏକ ସମ୍ବଳ ନୁହେଁ ବରଂ ସୁରକ୍ଷା ଏବଂ ସମ୍ମାନର ଉତ୍ସ । ଅର୍ଥନୈତିକ ସଶକ୍ତୀକରଣ ହେଉଛି ଅନ୍ୟ ଏକ କ୍ଷେତ୍ର ଯେଉଁଠାରେ ପରିବର୍ତ୍ତନ ଗଭୀର ହୋଇଛି । ୨୦୧୪ ପୂର୍ବରୁ ଆଦିବାସୀ ସମ୍ପ୍ରଦାୟ ମାନେ ନିଜର ଜୀବିକା ପାଇଁ ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରୁଥିଲେ କିନ୍ତୁ ଏହି ସମ୍ବଳଗୁଡ଼ିକୁ ପ୍ରଭାବଶାଳୀ ଭାବରେ ଉପଯୋଗ କରିବା ପାଇଁ ସେମାନଙ୍କ ପାଖରେ ସହାୟତା କିମ୍ବା ଉପାୟର ଅଭାବ ଥିଲା । ଆଜି ଜାତୀୟ ବାଉଁଶ ମିଶନ ଭଳି ପଦକ୍ଷେପ ଆଦିବାସୀଙ୍କ ଅର୍ଥନୈତିକ ଦୃଶ୍ୟପଟ୍ଟକୁ ନୂଆ ରୂପ ଦେଇଛି। ବାଉଁଶକୁ ଗଛ ଭାବରେ ବର୍ଗୀକରଣ କରି ସରକାର ଆଦିବାସୀ ପରିବାରମାନଙ୍କ ପାଇଁ ବାଉଁଶ ଅମଳ, ପ୍ରକ୍ରିୟାକରଣ ଏବଂ ବିକ୍ରୟ ପାଇଁ ନୂତନ ବାଟ ଖୋଲିଥିଲେ, ଯାହା ସେମାନଙ୍କୁ ରୋଜଗାରର ଏକ ସ୍ଥାୟୀ ଉତ୍ସ ପ୍ରଦାନ କରିଥିଲା । ବନ ଧନ ବିକାଶ କେନ୍ଦ୍ର (ଭିଡିଭିକେ) ମଧ୍ୟ ୪୫ ଲକ୍ଷରୁ ଅଧିକ ଆଦିବାସୀ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଛି, ଯାହା ସେମାନଙ୍କୁ ଜଙ୍ଗଲ ଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ସେମାନଙ୍କ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିଛି । ପିଏମ୍ – କିଷାନ ଅଧୀନରେ ପ୍ରାୟ ୧.୨ କୋଟି ଆଦିବାସୀ କୃଷକମାନେ ବର୍ତ୍ତମାନ ପ୍ରତ୍ୟକ୍ଷ ଆର୍ଥିକ ସହାୟତା ପାଉଛନ୍ତି, ଯାହା ସେମାନଙ୍କୁ କୃଷିରେ ପୁଞ୍ଜିନିବେଶ ଏବଂ ସେମାନଙ୍କ ଉତ୍ପାଦକତାରେ ଉନ୍ନତି ଆଣିବା ପାଇଁ ସଶକ୍ତ କରୁଛି । ଏହି ପଦକ୍ଷେପ କେବଳ ଆଦିବାସୀ ଅର୍ଥନୀତିକୁ ପରିବର୍ତ୍ତନ କରୁନାହିଁ; ସେମାନେ ଆତ୍ମନିର୍ଭରଶୀଳତା ଏବଂ ଦୀର୍ଘମିଆଦୀ ସମୃଦ୍ଧିର ମୂଳଦୁଆ ପକାଇଛନ୍ତି। ଭିତ୍ତିଭୂମି ଦୃଷ୍ଟିରୁ ବିଶେଷ କରି ନକ୍ସଲ ପ୍ରଭାବିତ ଅଂଚଳରେ ଆଦିବାସୀ ସମ୍ପ୍ରଦାୟ ଦୀର୍ଘ ଦିନ ଧରି ବିଚ୍ଛିନ୍ନ ହୋଇ ରହିଥିଲେ। ଦୁର୍ବଳ ସଡ଼କ ଯୋଗାଯୋଗ, ବିଶୁଦ୍ଧ ଜଳର ଅଭାବ ଏବଂ ଅବିଶ୍ୱସନୀୟ ପରିବହନ ଦୈନନ୍ଦିନ ସଂଘର୍ଷ ଥିଲା । କିନ୍ତୁ ୨୦୧୪ ମସିହାରୁ ଏହି ଦୁର୍ଗମ ଅଂଚଳକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବ୍ୟାପକ ପ୍ରୟାସ ଚାଲିଛି । ହଜାର ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି, ଆଦିବାସୀ ଗାଁଗୁଡ଼ିକୁ ସହରାଞ୍ଚଳ ସହ ସଂଯୋଗ କରାଯାଇଛି ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ବାଣିଜ୍ୟ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଛି। ଭିତ୍ତିଭୂମି ଉପରେ ସରକାର ଗୁରୁତ୍ୱ ଦେବା ଦ୍ୱାରା ଦଶନ୍ଧି ଧରି ରହିଥିବା ବ୍ୟବଧାନ ଦୂର ହୋଇଛି ଏବଂ ଆଦିବାସୀ ସମ୍ପ୍ରଦାୟ ଏବେ ସେମାନଙ୍କ ଆଖପାଖ ଦୁନିଆରୁ ଆଉ ବିଚ୍ଛିନ୍ନ ନୁହନ୍ତି ବୋଲି ସୁନିଶ୍ଚିତ ହୋଇ ଯାଇଛି। ବୋଧହୁଏ ସବୁଠାରୁ ଆନନ୍ଦଦାୟକ ପରିବର୍ତ୍ତନ ଆଦିବାସୀ ସମ୍ପ୍ରଦାୟର ସାଂସ୍କୃତିକ ସ୍ୱୀକୃତିରେ ହେଉଛି । ବର୍ଷ ବର୍ଷ ଧରି ଆଦିବାସୀ ବୀରମାନଙ୍କ ଅବଦାନ ଓ ବଳିଦାନକୁ ବହୁମାତ୍ରାରେ ମନେ ରଖା ଯାଇନଥିଲା। କିନ୍ତୁ ଏବେ ମୋଦୀ ସରକାରଙ୍କ ଅମଳରେ ଏହି ଅଜଣା ବୀରମାନଙ୍କୁ ସମ୍ମାନିତ କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । ଭାରତର ସ୍ୱାଧୀନତା ସଂଗ୍ରାମରେ ମହାନ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ଅତୁଳନୀୟ ଅବଦାନ ଓ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ଜୟନ୍ତୀକୁ ବର୍ତ୍ତମାନ ଜନ ଜାତୀୟ ଗୌରବ ଦିବସ ଭାବରେ ପାଳନ କରାଯାଉଛି । ହବିବଗଞ୍ଜ ଭଳି ରେଳ ଷ୍ଟେସନର ନାମ ରାଣୀ କମଳାପତି ରେଳ ଷ୍ଟେସନକୁ ନାମିତ କରିବା ଏବଂ ଦେଶବ୍ୟାପୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ନିର୍ମାଣ ମଧ୍ୟ ଆଦିବାସୀ ନାୟକମାନଙ୍କୁ ସେମାନଙ୍କ ହକ୍ ର ମାନ୍ୟତା ପ୍ରଦାନ କରିଛି । ସାଂସ୍କୃତିକ ଧାରଣାର ଏହି ପରିବର୍ତ୍ତନ ଆଦିବାସୀ ସମ୍ପ୍ରଦାୟମାନଙ୍କ ମଧ୍ୟରେ ଏକ ଗର୍ବ ଏବଂ ପରିଚୟ ଭାବନା ସୃଷ୍ଟି କରୁଛି, ଯାହା ସେମାନଙ୍କୁ ମନେ ପକାଇ ଦେଉଛି ଯେ ସେମାନଙ୍କ ଇତିହାସ ଭାରତର ଐତିହ୍ୟ ସହିତ ଅନ୍ୟ ମାନଙ୍କ ପରି ଅବିଚ୍ଛେଦ୍ୟ ଅଟେ । ଜନଜାତୀୟ ଭାରତ ଅବହେଳିତ ରୁ ସଶକ୍ତରେ ପରିଣତ ହେବା କେବଳ ଏକ ପ୍ରତିଜ୍ଞା ନୁହେଁ- ଏହା ପ୍ରତିଦିନ ସରକାରୀ ନୀତି ଏବଂ ପଦକ୍ଷେପ ମାଧ୍ୟମରେ ଆକାର ନେଉଥିବା ଏକ ବାସ୍ତବତା । ଏକଦା ଆଦିବାସୀ ସମ୍ପ୍ରଦାୟର ଜୀବନକୁ ଯେଉଁ ସଂଘର୍ଷ ପରିଭାଷିତ କରୁଥିଲା, ତାହା ଏବେ ତତ୍ପରତା ଓ ଯତ୍ନର ସହ ସମାଧାନ କରାଯାଉଛି, ଯାହା ଭାରତର ଆଦିବାସୀ ଜନସଂଖ୍ୟା ପାଇଁ ଏକ ଉଜ୍ଜ୍ୱଳ, ଅଧିକ ସମାବେଶୀ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରୁଛି।