शनिवार, नवंबर 16 2024 | 08:02:48 AM
Breaking News
Home / Choose Language / Odia / ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ପାଇଁ ଗଠିତ ହେବ ସମର୍ପିତ ଟାସ୍କ ଫୋର୍ସ : କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ପାଇଁ ଗଠିତ ହେବ ସମର୍ପିତ ଟାସ୍କ ଫୋର୍ସ : କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

Follow us on:

୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ପାଇଁ ଶକ୍ତି ମନ୍ତ୍ରଣାଳୟ ସହଭାଗିତାରେ ସବୁ ଅଂଶୀଦାରଙ୍କୁ ନେଇ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଏକ ସମର୍ପିତ ଟାସ୍କ ଫୋର୍ସ ଗଠନ କରାଯିବ ବୋଲି କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଘୋଷଣା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ ଆଜି ଭୁବନେଶ୍ୱର ଠାରେ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଦୁଇ ଦିନିଆ ଚିନ୍ତନ ଶିବିରର ଉଦଯାପନୀ ସମାରୋହକୁ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି ।

ଆସନ୍ତା ଛଅ ବର୍ଷ ମଧ୍ୟରେ ୨୮୮ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ସ୍ଥାପନ କରିବାର ଆବଶ୍ୟକତା ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ, ଯେଉଁଥିରେ ପ୍ରସାରଣ ଭିତ୍ତିଭୂମି ସମେତ ୪୨ ଲକ୍ଷ କୋଟି ଟଙ୍କାର ନିବେଶ ଆବଶ୍ୟକତା ରହିଛି। ଅକ୍ଷୟ ଶକ୍ତି କ୍ଷେତ୍ରରେ ବିଭିନ୍ନ ଆହ୍ୱାନର ସମାଧାନ ପାଇଁ ସମସ୍ତ ଅଂଶୀଦାରମାନେ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ ଉଲ୍ଲେଖ କରିଥିଲେ ଯେ ଏହି କାର୍ଯ୍ୟକ୍ରମରେ ୧୨ଟି ପ୍ରମୁଖ ଅକ୍ଷୟ ଶକ୍ତି ଉତ୍ପାଦନକାରୀ ରାଜ୍ୟ ଅଂଶଗ୍ରହଣ କରିବା ସହିତ ୧୧୭ ଜଣ ଶିଳ୍ପପତି ଏବଂ ରାଜ୍ୟ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ୬୭ ଜଣ ପ୍ରତିନିଧି ଭାଗନେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ‘‘ପଞ୍ଚାମୃତ’’ ସଂକଳ୍ପ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇ ସେ ୨୦୩୦ ମସିହାରେ ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ହାସଲ ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଅକ୍ଷୟ ଶକ୍ତି ପ୍ରଯୁକ୍ତି ଓ ସମାଧାନର ସ୍ୱଦେଶୀକରଣକୁ ପ୍ରୋତ୍ସାହିତ କରିବାର ପ୍ରତିଶ୍ରୁତିବଦ୍ଧତା ସହିତ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଅକ୍ଷୟ ଶକ୍ତି କ୍ଷେତ୍ରରେ ଷ୍ଟାର୍ଟଅପଗୁଡିକ ପାଇଁ ହାକାଥନ ଆୟୋଜନ କରିବ। ଆରଇ କ୍ଷେତ୍ରରେ ଉଦ୍ଭାବନ ଏବଂ ବୈଷୟିକ ଉନ୍ନତିକୁ ପ୍ରୋତ୍ସାହିତ କରିବା ପାଇଁ ଶକ୍ତି ମନ୍ତ୍ରଣାଳୟ ସହଯୋଗରେ ଗବେଷଣା ଓ ବିକାଶ ପାଇଁ ଏକ ନୂତନ ଯୁଗ୍ମ ଉତ୍କର୍ଷ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯିବ। ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକର ସଫଳତା ସୁନିଶ୍ଚିତ କରିବା ପାଇଁ ବିଦ୍ୟୁତ କ୍ରୟ ଚୁକ୍ତି (ପିପିଏ)କୁ ଶୀଘ୍ର ଚୂଡ଼ାନ୍ତ ରୂପ ଦେବା ଏବଂ ଅକ୍ଷୟ କ୍ରୟ ଉତ୍ତରଦାୟିତ୍ୱ (ଆରପିଓ)କୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ।

ଶ୍ରୀ ଯୋଶୀ କହିଥିଲେ, ୧୪୦ ଗିଗାୱାଟ୍‌ ସୌର ଶକ୍ତି ଉତ୍ପାଦନ କ୍ଷମତା ସହିତ ଓଡ଼ିଶାରେ ବ୍ୟାପକ ଅକ୍ଷୟ ଶକ୍ତି ସମ୍ଭାବନା ରହିଛି। ଏହାର ସୁଦୀର୍ଘ ଉପକୂଳ ଏବଂ ବନ୍ଦର ଭିତ୍ତିଭୂମି ଥିବାରୁ ସବୁଜ ହାଇଡ୍ରୋଜେନ୍‌ ପାଇଁ ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ଓଡ଼ିଶାକୁ ଅକ୍ଷୟ ଶକ୍ତିର ଏକ ପ୍ରମୁଖ କେନ୍ଦ୍ର ଭାବେ ବିକଶିତ କରିବା ଏବଂ ରାଜ୍ୟରେ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନର ପରିସର ଅନୁସନ୍ଧାନ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଓଡ଼ିଶାରେ ଫ୍ଲୋଟିଂ ସୋଲାର ପ୍ୟାନେଲର ସମ୍ଭାବନା ମଧ୍ୟ ଅନ୍ୱେଷଣ କରାଯିବ ବୋଲି ସେ କହିଛନ୍ତି। ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ସୌର ମଡ୍ୟୁଲ୍, ସୋଲାର ସେଲ୍ ଏବଂ ଇଙ୍ଗୋଟ୍-ୱେଫର ଉତ୍ପାଦନ ପାଇଁ ଗୋଟିଏ ଏଜେନ୍ସି ଦ୍ୱାରା ପ୍ରାୟ ୯,୦୦୦ କୋଟି ଟଙ୍କା ନିବେଶ ସହିତ ୬,୦୦୦ ମେଗାଓ୍ଵାଟ୍ ଉତ୍ପାଦନ କ୍ଷମତା ସ୍ଥାପନ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ଏକ ଏଜେନ୍ସି ଓଡ଼ିଶାର ଖୋର୍ଦ୍ଧା ଭୁବନେଶ୍ୱରର ଇନଫୋଭାଲି-୨ଠାରେ ସୌର ମଡ୍ୟୁଲ୍ ଏବଂ ସେଲ୍ ଉତ୍ପାଦନ ପାଇଁ ୧୦ ମେଗାଓ୍ଵାଟ୍ ଉତ୍ପାଦନ କ୍ଷମତା ସ୍ଥାପନ କରୁଛି।

ନଭେମ୍ବର ୨୦୨୪ ଶେଷ ସୁଦ୍ଧା ୫ ଲକ୍ଷରୁ ଅଧିକ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ସଂଯୋଗ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସୌର ମଡ୍ୟୁଲ୍ ଏବଂ ସେଲର ଘରୋଇ ଉତ୍ପାଦନ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍ଆଇ) ଯୋଜନାକୁ ସମ୍ପ୍ରସାରଣ କରିବାକୁ ପରାମର୍ଶ ଉପରେ ବିଚାର କରାଯାଉଛି।

ନିଜର ଅଭିଭାଷଣ ଶେଷରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଆମେ ଏହି ଶିବିରକୁ କେବଳ ଏକ ଦୃଢ଼ ଉଦ୍ଦେଶ୍ୟ ସହିତ ନୁହେଁ ବରଂ ଦୁଇ ଦିନ ପୂର୍ବ ତୁଳନାରେ ଅଧିକ ବିଶୁଦ୍ଧ ଓ ବିସ୍ତୃତ ରୋଡମ୍ୟାପ ସହିତ ଶେଷ କରିଛୁ।

ଶିବିରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ‘ପଞ୍ଚାମୃତ’ ଲକ୍ଷ୍ୟ ପୂରଣ କରିବାରେ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ସମସ୍ତ ସହଯୋଗ ଯୋଗାଇଦେବେ।

ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ସଚିବ ଶ୍ରୀ ପ୍ରଶାନ୍ତ କୁମାର ସିଂ କହିଥିଲେ, ଚିନ୍ତନ ଶିବିରରେ ଫଳପ୍ରଦ ମତବିନିମୟ ହୋଇଛି । ମନ୍ତ୍ରଣାଳୟ ଏହି କ୍ଷେତ୍ରରେ ବିଭିନ୍ନ ଆହ୍ୱାନର ସମାଧାନ ପାଇଁ ଦୃଢ଼ ଆନ୍ତଃ-ମନ୍ତ୍ରଣାଳୟ ସମନ୍ୱୟ ପାଇଁ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ଅତିରିକ୍ତ ସଚିବ ସୁଦୀପ ଜୈନ ଅଧିବେଶନରେ ଯୋଗ ଦେଇଥିବା ସମସ୍ତ ଅଂଶୀଦାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ ଗତକାଲି ଭୁବନେଶ୍ୱରଠାରେ ଏହି ଦୁଇ ଦିନିଆ ଚିନ୍ତନ ଶିବିର ଶୁଭାରମ୍ଭ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ତାଙ୍କ ଉଦଘାଟନୀ ଅଭିଭାଷଣରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଥିବା ଗୁରୁତ୍ୱପୂର୍ଣ୍ଣ ଆହ୍ୱାନଗୁଡ଼ିକ ଉପରେ ଆଲୋକପାତ କରିଥିଲେ ଏବଂ ଏହା ଉପରେ ପ୍ରଥମ ଦିନରେ ବିଚାରବିମର୍ଶ କରାଯାଇଥିଲା। ଦୁଇ ଦିନ ଧରି ସୌର ଓ ପବନ ଶକ୍ତି ନିୟୋଜନ, ସବୁଜ ହାଇଡ୍ରୋଜେନ, ଶକ୍ତି ସଂରକ୍ଷଣ, ଭୂମି ପ୍ରସ୍ତୁତି ଓ ପ୍ରସାରଣ ଯୋଜନା ଏବଂ ନୀତି ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ୧୭ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ୨୦୩୦ ସୁଦ୍ଧା ଅଣଜୀବାଶ୍ମ ଉତ୍ସରୁ ୫୦୦ ଗିଗାୱାଟ୍‌ ଶକ୍ତି ହାସଲର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ନେଇ ଅଧିବେଶନରେ ବିଚାରବିମର୍ଶ କରାଯାଇଥିଲା। ଏହି ଅଧିବେଶନଗୁଡ଼ିକରେ ଭାରତର ଅକ୍ଷୟ ଶକ୍ତି ଯାତ୍ରାର ଅବିଚ୍ଛେଦ୍ୟ ଅଂଶବିଶେଷ ଥିବା ଅଗ୍ରଣୀ ନୀତି ନିର୍ଦ୍ଧାରକ, ଆର୍ଥିକ ଅନୁଷ୍ଠାନ, ଶିଳ୍ପପତି, ସିଇଓ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ।

मित्रों,
मातृभूमि समाचार का उद्देश्य मीडिया जगत का ऐसा उपकरण बनाना है, जिसके माध्यम से हम व्यवसायिक मीडिया जगत और पत्रकारिता के सिद्धांतों में समन्वय स्थापित कर सकें। इस उद्देश्य की पूर्ति के लिए हमें आपका सहयोग चाहिए है। कृपया इस हेतु हमें दान देकर सहयोग प्रदान करने की कृपा करें। हमें दान करने के लिए निम्न लिंक पर क्लिक करें -- Click Here


* 1 माह के लिए Rs 1000.00 / 1 वर्ष के लिए Rs 10,000.00

Contact us

Check Also

କିପରି ଅବହେଳିତରୁ ସଶକ୍ତ ହେଲା ଜନଜାତୀୟ ଭାରତ !

୨୦୧୪ ପୂର୍ବରୁ , ଭାରତର ଆଦିବାସୀ ସମ୍ପ୍ରଦାୟକୁ ଏକ କଠିନ ଯୁଦ୍ଧର ସାମନା କରିବାକୁ ପଡୁଥିଲା, ଯେଉଁଥିରେ ସେମାନଙ୍କ ସଂଘର୍ଷ ମୁଖ୍ୟତଃ ଦେଶ ପାଇଁ ଅଦୃଶ୍ୟ ଥିଲା । ଦଶନ୍ଧି ଧରି, ସେମାନେ ଅବହେଳିତ ହୋଇ ରହୁଥିଲେ, ଅଣଦେଖାର ଶିକାର ହୋଇଥିଲେ ଏବଂ ସୁସ୍ଥ, ସମ୍ମାନଜନକ ଜୀବନଯାପନ କରିବା ପାଇଁ ଆବଶ୍ୟକ ସମର୍ଥନ ବିନା ସେମାନଙ୍କୁ ଛାଡି ଦିଆଯାଇଥିଲା। ଅନେକ ଆଦିବାସୀ ଅଂଚଳରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଅର୍ଥନୈତିକ ସୁଯୋଗ ଭଳି ମୌଳିକ ସୁବିଧା ସର୍ବନିମ୍ନ ଥିଲା କିମ୍ବା ଅସ୍ତିତ୍ଵହୀନ ଥିଲା । କିନ୍ତୁ ଏଥିରେ ୨୦୧୪ ପରଠାରୁ ଏକ ପରିବର୍ତ୍ତନ ଘଟିଛି। ମୋଦୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କେବଳ ଆଦିବାସୀ ସମ୍ପ୍ରଦାୟର ଆବଶ୍ୟକତାକୁ ସ୍ୱୀକାର କରିନାହିଁ ବରଂ ଏହି ପ୍ରସଙ୍ଗଗୁଡ଼ିକୁ ତତ୍ପରତାର ସହ ପ୍ରାଥମିକତା ଦେଇଛି । ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ସମେତ ଅର୍ଥନୈତିକ ସଶକ୍ତୀକରଣ ପର୍ଯ୍ୟନ୍ତ, ଏହି ସମ୍ପ୍ରଦାୟଗୁଡ଼ିକ ଏବେ ଅନେକ ପିଢ଼ି ଧରି ଯେଉଁ ପ୍ରକାରର ସମର୍ଥନ ଏବଂ ପୁଞ୍ଜିନିବେଶର ଲାଭ ସେମାନେ ପାଇବା କଥା , ସେଥିରୁ ଦୂରେଇ ରହିଥିଲେ ତାହା ଜାଣୁଛନ୍ତି । ଉଦାହରଣ ସ୍ୱରୂପ ଶିକ୍ଷା କ୍ଷେତ୍ରକୁ ନିଆଯାଉ । ଏକଦା ଆଦିବାସୀ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବାର ଆଶା କମ୍ ଥିଲା । ୨୦୧୪ ପୂର୍ବରୁ ଥିବା କିଛି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (ଇଏମଆରଏସ) ବିରଳ ଏବଂ ଅଳ୍ପ ସମ୍ବଳ ବିଶିଷ୍ଟ ଥିଲା । ସେବେଠାରୁ ମୋଦୀ ସରକାର ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବାରୁ ଏହି ବିଦ୍ୟାଳୟ ଗୁଡ଼ିକର ଯଥେଷ୍ଟ ସମ୍ପ୍ରସାରଣ ହୋଇଛି । ଆଜି ୭୧୫ଟି ସ୍କୁଲ୍ ମଞ୍ଜୁର ହୋଇଥିବା ବେଳେ ୪୭୬ଟି କାର୍ଯ୍ୟକ୍ଷମ ହୋଇ ୧ ଲକ୍ଷ ୩୩ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସେବା ଯୋଗାଇ ଦିଆଯାଉଛି। ଏହି ବିଦ୍ୟାଳୟ ଗୁଡ଼ିକରେ ଆଧୁନିକ ସୁବିଧା, ଡିଜିଟାଲ ଶ୍ରେଣୀଗୃହ ଏବଂ କ୍ରୀଡ଼ା ଭିତ୍ତିଭୂମି ରହିଛି, ଯାହା ଆଦିବାସୀ ପିଲାମାନଙ୍କୁ ସେମାନଙ୍କ ସହରାଞ୍ଚଳ ପିଲାମାନଙ୍କ ସହ ସମାନ ଶିକ୍ଷା ପ୍ରଦାନ କରିବା ସୁନିଶ୍ଚିତ କରୁଛି। ୧୭,୦୦୦ କୋଟି ଟଙ୍କାର ଛାତ୍ରବୃତ୍ତି ୩ କୋଟିରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଅଧିକ ସଶକ୍ତ କରିଛି, ଯାହା ସେମାନଙ୍କୁ ଉଚ୍ଚଶିକ୍ଷା ଏବଂ ଉନ୍ନତ କ୍ୟାରିୟର ସୁଯୋଗ ପ୍ରଦାନ କରିଛି। ଏକଦା ଆଦିବାସୀ ଯୁବକମାନଙ୍କ ପାଇଁ ଯେଉଁ ରାସ୍ତା ବନ୍ଦ ହୋଇଯିବା ଭଳି ମନେ ହେଉଥିଲା, ତାହା ଏବେ ବ୍ୟାପକ ଭାବେ ଖୋଲା ରହିଛି ଏବଂ ସେମାନେ ଏକ ସମ୍ଭାବନାରେ ପରିପୂର୍ଣ୍ଣ ଭବିଷ୍ୟତରେ ପାଦ ଥାପିଛନ୍ତି। ସ୍ଵାସ୍ଥ୍ୟ ସେବା କ୍ଷେତ୍ରର କାହାଣୀ ଏହା ଠାରୁ କିଛି ଅଲଗା ନୁହେଁ । ୨୦୧୪ ପୂର୍ବରୁ ଆଦିବାସୀ ସଂପ୍ରଦାୟର ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୀମିତ ଥିଲା, ସରକାରୀ ସହାୟତା ଅତି ମନ୍ଥର ଥିଲା କିମ୍ବା ପହଂଚିବା ବାହାରେ ଥିଲା । କିନ୍ତୁ ସେବେଠାରୁ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଏବେ ଆଦିବାସୀ ଅଂଚଳର ଦୁର୍ଗମ କୋଣଅନୁକୋଣରେ ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ ପହଂଚି ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଯାଉଛି । ଏହାବ୍ୟତୀତ ଆଦିବାସୀ ଅଂଚଳରେ ୧.୫ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି, ପରିମଳ ବ୍ୟବସ୍ଥାରେ ଉନ୍ନତି ଘଟିଛି ଏବଂ ବ୍ୟାପୁଥିବା ରୋଗ ପରିମାଣ ହ୍ରାସ ପାଇଛି । ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରାଥମିକତା ଦିଆଯାଉଛି, ଯାହା ସେମାନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଛି । ସିକଲ୍ ସେଲ୍ ରକ୍ତହୀନତା ଦୂର କରିବା ପାଇଁ ଦେଶବ୍ୟାପୀ ପ୍ରୟାସ କରାଯାଉଛି – ଏହା ଏମିତି ଏକ ରୋଗ ଯାହା ଆଦିବାସୀ ସମ୍ପ୍ରଦାୟକୁ ଅସମାନ ଭାବରେ ପ୍ରଭାବିତ କରେ – ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସିକଲ୍ ସେଲ୍ ରକ୍ତହୀନତା ଦୂର କରିବା ପାଇଁ ଦେଶବ୍ୟାପୀ ପ୍ରୟାସ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଛି । ୨୦୨୩ରେ ଆରମ୍ଭ ହୋଇଥିବା ଜାତୀୟ ସିକଲ ସେଲ ରକ୍ତହୀନତା ଉତ୍ପାଟନ ଅଭିଯାନରେ ୨୦୪୭ ସୁଦ୍ଧା ଏହି ରୋଗକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ୪.୬ କୋଟିରୁ ଅଧିକ ଆଦିବାସୀ ବ୍ୟକ୍ତିଙ୍କ ଯାଂଚ ପରୀକ୍ଷଣ କରାଯାଇଛି ଏବଂ ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସା ଚାଲିଛି, ଯାହା କିଛି ବର୍ଷ ପୂର୍ବେ ଏକ ଦୂରସ୍ୱପ୍ନ ପରି ମନେ ହେଉଥିଲା । ଯାଂଚ, ପରାମର୍ଶ ଏବଂ ଯତ୍ନ ମାଧ୍ୟମରେ ୭ କୋଟି ଲୋକଙ୍କୁ ଏଥିରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯାହା ଆଦିବାସୀ ସମ୍ପ୍ରଦାୟକୁ ନୂତନ ଆଶା ପ୍ରଦାନ କରିଥାଏ । ଜଙ୍ଗଲ ଅଧିକାର ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବା ଦ୍ୱାରା ଆଦିବାସୀଙ୍କ ଜମି ଅଧିକାରକୁ ଏହା ମାନ୍ୟତା ଦେଇଛି ଓ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ୨୦୧୪ ପୂର୍ବରୁ ଆଦିବାସୀ ସଂପ୍ରଦାୟର ସେମାନଙ୍କ ଜମି ଉପରେ କମ୍ ନିୟନ୍ତ୍ରଣ ରହୁଥିଲା, ଯାହାଫଳରେ ସେମାନଙ୍କ ମନରେ ଜମି ଜବରଦଖଲ ଓ ବିସ୍ଥାପିତ ହେବାର ଭୟ ରହୁଥିଲା । ସେମାନଙ୍କ ଜମି ଉପରେ ଏହି ନିୟନ୍ତ୍ରଣର ଅଭାବ ଦାରିଦ୍ର୍ୟ ଏବଂ ସଂସ୍କୃତି ହରାଇବାର ଚକ୍ରକୁ ବଜାୟ ରଖିଥିଲା । କିନ୍ତୁ ମୋଦୀ ସରକାରଙ୍କ ଅମଳରେ ଏକ ଐତିହାସିକ ପରିବର୍ତ୍ତନ ଘଟିଛି। ଜଙ୍ଗଲ ଅଧିକାର ଆଇନକୁ ସକ୍ରିୟ ଭାବେ କାର୍ଯ୍ୟକାରୀ କରାଯାଇଛି, ଯାହାଫଳରେ ୧.୯ କୋଟି ଏକରରୁ ଅଧିକ ଅଞ୍ଚଳରେ ଆଦିବାସୀ ପରିବାରମାନଙ୍କୁ ୨୩ ଲକ୍ଷରୁ ଅଧିକ ଜମି ମାଲିକାନା ପ୍ରଦାନ କରାଯାଇଛି। ଏହି ଐତିହାସିକ ପଦକ୍ଷେପ ଆଦିବାସୀମାନଙ୍କୁ ସେମାନଙ୍କ ଜମି ଚାଷ କରିବା, ପାରମ୍ପରିକ ଜୀବିକା ଅଭ୍ୟାସ କରିବା ଏବଂ ବିସ୍ଥାପିତ ହେବାର ଭୟ ନ କରି ସେମାନଙ୍କ ପୈତୃକ ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ସଶକ୍ତ କରିଛି । ଜନଜାତୀୟ ଭାରତ ପାଇଁ ସଶକ୍ତୀକରଣର ଏକ ନୂତନ ଯୁଗରେ ଜମି କେବଳ ଏକ ସମ୍ବଳ ନୁହେଁ ବରଂ ସୁରକ୍ଷା ଏବଂ ସମ୍ମାନର ଉତ୍ସ । ଅର୍ଥନୈତିକ ସଶକ୍ତୀକରଣ ହେଉଛି ଅନ୍ୟ ଏକ କ୍ଷେତ୍ର ଯେଉଁଠାରେ ପରିବର୍ତ୍ତନ ଗଭୀର ହୋଇଛି । ୨୦୧୪ ପୂର୍ବରୁ ଆଦିବାସୀ ସମ୍ପ୍ରଦାୟ ମାନେ ନିଜର ଜୀବିକା ପାଇଁ ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରୁଥିଲେ କିନ୍ତୁ ଏହି ସମ୍ବଳଗୁଡ଼ିକୁ ପ୍ରଭାବଶାଳୀ ଭାବରେ ଉପଯୋଗ କରିବା ପାଇଁ ସେମାନଙ୍କ ପାଖରେ ସହାୟତା କିମ୍ବା ଉପାୟର ଅଭାବ ଥିଲା । ଆଜି ଜାତୀୟ ବାଉଁଶ ମିଶନ ଭଳି ପଦକ୍ଷେପ ଆଦିବାସୀଙ୍କ ଅର୍ଥନୈତିକ ଦୃଶ୍ୟପଟ୍ଟକୁ ନୂଆ ରୂପ ଦେଇଛି। ବାଉଁଶକୁ ଗଛ ଭାବରେ ବର୍ଗୀକରଣ କରି ସରକାର ଆଦିବାସୀ ପରିବାରମାନଙ୍କ ପାଇଁ ବାଉଁଶ ଅମଳ, ପ୍ରକ୍ରିୟାକରଣ ଏବଂ ବିକ୍ରୟ ପାଇଁ ନୂତନ ବାଟ ଖୋଲିଥିଲେ, ଯାହା ସେମାନଙ୍କୁ ରୋଜଗାରର ଏକ ସ୍ଥାୟୀ ଉତ୍ସ ପ୍ରଦାନ କରିଥିଲା । ବନ ଧନ ବିକାଶ କେନ୍ଦ୍ର (ଭିଡିଭିକେ) ମଧ୍ୟ ୪୫ ଲକ୍ଷରୁ ଅଧିକ ଆଦିବାସୀ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଛି, ଯାହା ସେମାନଙ୍କୁ ଜଙ୍ଗଲ ଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ସେମାନଙ୍କ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିଛି । ପିଏମ୍ – କିଷାନ ଅଧୀନରେ ପ୍ରାୟ ୧.୨ କୋଟି ଆଦିବାସୀ କୃଷକମାନେ ବର୍ତ୍ତମାନ ପ୍ରତ୍ୟକ୍ଷ ଆର୍ଥିକ ସହାୟତା ପାଉଛନ୍ତି, ଯାହା ସେମାନଙ୍କୁ କୃଷିରେ ପୁଞ୍ଜିନିବେଶ ଏବଂ ସେମାନଙ୍କ ଉତ୍ପାଦକତାରେ ଉନ୍ନତି ଆଣିବା ପାଇଁ ସଶକ୍ତ କରୁଛି । ଏହି ପଦକ୍ଷେପ କେବଳ ଆଦିବାସୀ ଅର୍ଥନୀତିକୁ ପରିବର୍ତ୍ତନ କରୁନାହିଁ; ସେମାନେ ଆତ୍ମନିର୍ଭରଶୀଳତା ଏବଂ ଦୀର୍ଘମିଆଦୀ ସମୃଦ୍ଧିର ମୂଳଦୁଆ ପକାଇଛନ୍ତି। ଭିତ୍ତିଭୂମି ଦୃଷ୍ଟିରୁ ବିଶେଷ କରି ନକ୍ସଲ ପ୍ରଭାବିତ ଅଂଚଳରେ ଆଦିବାସୀ ସମ୍ପ୍ରଦାୟ ଦୀର୍ଘ ଦିନ ଧରି ବିଚ୍ଛିନ୍ନ ହୋଇ ରହିଥିଲେ। ଦୁର୍ବଳ ସଡ଼କ ଯୋଗାଯୋଗ, ବିଶୁଦ୍ଧ ଜଳର ଅଭାବ ଏବଂ ଅବିଶ୍ୱସନୀୟ ପରିବହନ ଦୈନନ୍ଦିନ ସଂଘର୍ଷ ଥିଲା । କିନ୍ତୁ ୨୦୧୪ ମସିହାରୁ ଏହି ଦୁର୍ଗମ ଅଂଚଳକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବ୍ୟାପକ ପ୍ରୟାସ ଚାଲିଛି । ହଜାର ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି, ଆଦିବାସୀ ଗାଁଗୁଡ଼ିକୁ ସହରାଞ୍ଚଳ ସହ ସଂଯୋଗ କରାଯାଇଛି ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ବାଣିଜ୍ୟ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଛି। ଭିତ୍ତିଭୂମି ଉପରେ ସରକାର ଗୁରୁତ୍ୱ ଦେବା ଦ୍ୱାରା ଦଶନ୍ଧି ଧରି ରହିଥିବା ବ୍ୟବଧାନ ଦୂର ହୋଇଛି ଏବଂ ଆଦିବାସୀ ସମ୍ପ୍ରଦାୟ ଏବେ ସେମାନଙ୍କ ଆଖପାଖ ଦୁନିଆରୁ ଆଉ ବିଚ୍ଛିନ୍ନ ନୁହନ୍ତି ବୋଲି ସୁନିଶ୍ଚିତ ହୋଇ ଯାଇଛି। ବୋଧହୁଏ ସବୁଠାରୁ ଆନନ୍ଦଦାୟକ ପରିବର୍ତ୍ତନ ଆଦିବାସୀ ସମ୍ପ୍ରଦାୟର ସାଂସ୍କୃତିକ ସ୍ୱୀକୃତିରେ ହେଉଛି । ବର୍ଷ ବର୍ଷ ଧରି ଆଦିବାସୀ ବୀରମାନଙ୍କ ଅବଦାନ ଓ ବଳିଦାନକୁ ବହୁମାତ୍ରାରେ ମନେ ରଖା ଯାଇନଥିଲା। କିନ୍ତୁ ଏବେ ମୋଦୀ ସରକାରଙ୍କ ଅମଳରେ ଏହି ଅଜଣା ବୀରମାନଙ୍କୁ ସମ୍ମାନିତ କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । ଭାରତର ସ୍ୱାଧୀନତା ସଂଗ୍ରାମରେ ମହାନ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ଅତୁଳନୀୟ ଅବଦାନ ଓ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ଜୟନ୍ତୀକୁ ବର୍ତ୍ତମାନ ଜନ ଜାତୀୟ ଗୌରବ ଦିବସ ଭାବରେ ପାଳନ କରାଯାଉଛି । ହବିବଗଞ୍ଜ ଭଳି ରେଳ ଷ୍ଟେସନର ନାମ ରାଣୀ କମଳାପତି ରେଳ ଷ୍ଟେସନକୁ ନାମିତ କରିବା ଏବଂ ଦେଶବ୍ୟାପୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ନିର୍ମାଣ ମଧ୍ୟ ଆଦିବାସୀ ନାୟକମାନଙ୍କୁ ସେମାନଙ୍କ ହକ୍ ର ମାନ୍ୟତା ପ୍ରଦାନ କରିଛି । ସାଂସ୍କୃତିକ ଧାରଣାର ଏହି ପରିବର୍ତ୍ତନ ଆଦିବାସୀ ସମ୍ପ୍ରଦାୟମାନଙ୍କ ମଧ୍ୟରେ ଏକ ଗର୍ବ ଏବଂ ପରିଚୟ ଭାବନା ସୃଷ୍ଟି କରୁଛି, ଯାହା ସେମାନଙ୍କୁ ମନେ ପକାଇ ଦେଉଛି ଯେ ସେମାନଙ୍କ ଇତିହାସ ଭାରତର ଐତିହ୍ୟ ସହିତ ଅନ୍ୟ ମାନଙ୍କ ପରି ଅବିଚ୍ଛେଦ୍ୟ ଅଟେ । ଜନଜାତୀୟ ଭାରତ ଅବହେଳିତ ରୁ ସଶକ୍ତରେ ପରିଣତ ହେବା କେବଳ ଏକ ପ୍ରତିଜ୍ଞା ନୁହେଁ- ଏହା ପ୍ରତିଦିନ ସରକାରୀ ନୀତି ଏବଂ ପଦକ୍ଷେପ ମାଧ୍ୟମରେ ଆକାର ନେଉଥିବା ଏକ ବାସ୍ତବତା । ଏକଦା ଆଦିବାସୀ ସମ୍ପ୍ରଦାୟର ଜୀବନକୁ ଯେଉଁ ସଂଘର୍ଷ ପରିଭାଷିତ କରୁଥିଲା, ତାହା ଏବେ ତତ୍ପରତା ଓ ଯତ୍ନର ସହ ସମାଧାନ କରାଯାଉଛି, ଯାହା ଭାରତର ଆଦିବାସୀ ଜନସଂଖ୍ୟା ପାଇଁ ଏକ ଉଜ୍ଜ୍ୱଳ, ଅଧିକ ସମାବେଶୀ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରୁଛି।